ମଙ୍ଗଳରେ ହେଲିକପ୍ଟର ଉଡ଼ାଇବ ଭାରତ, ଖୁବ୍‌ଶୀଘ୍ର ଲଞ୍ଚ ହେବ ମଙ୍ଗଳଯାନ-୨

ମଙ୍ଗଳଚନ୍ଦ୍ରଯାନ-୩ର ସଫଳତା ପରେ ଖୁବଶୀଘ୍ର ମିଶନ ମଙ୍ଗଳଯାନ-୨ ଆରମ୍ଭ କରିବାକୁ ଯାଉଛି ଇସ୍ରୋ । ଏହି ଅଭିଯାନରେ ମଙ୍ଗଳ ଗ୍ରହରେ ଓହ୍ଲାଇବ ଭାରତର ହେଲିକପ୍ଟର ।

ISRO: ଚନ୍ଦ୍ରଯାନ-୩ର ସଫଳତା ପରେ ଖୁବଶୀଘ୍ର ମିଶନ ମଙ୍ଗଳଯାନ-୨ ଆରମ୍ଭ କରିବାକୁ ଯାଉଛି ଇସ୍ରୋ । ଏହି ଅଭିଯାନରେ ମଙ୍ଗଳ ଗ୍ରହରେ ଓହ୍ଲାଇବ ଭାରତର ହେଲିକପ୍ଟର । ଏଥିସହ ମଙ୍ଗଳକୁ ଏକ ରୋଭର ମଧ୍ୟ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ମିଶନ ମଙ୍ଗଳଯାନ-୨ ପାଇଁ ପ୍ରସ୍ତୁତ ହୋଇଛି ବିସ୍ତୃତ ରୋଡମ୍ୟାପ୍‌। ଏପରି ହେଲେ ଆମେରିକା ଓ ଚୀନ୍ ପରେ ଭାରତ ହେବ ତୃତୀୟ ଦେଶ ଯେ କି ଲୋହିତ ଗ୍ରହ ମଙ୍ଗଳରେ ତାର ରୋଭର ଓହ୍ଲାଇବ। ନ୍ୟାସନାଲ ଟେକ୍ନୋଲୋଜି ଡେ ବା ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ମିଶନ ମଙ୍ଗଳଯାନ-୨ ସଂପର୍କରେ ଏହି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ।

କେମିତି ଓହ୍ଲାଇବ ରୋଭର ?

ମଙ୍ଗଳ ଗ୍ରହରେ ଗ୍ରାଣ୍ଡ ଏଣ୍ଟ୍ରି କରିବ ଇସ୍ରୋର ରୋଭର। ଅବତରଣ ପାଇଁ ପାରମ୍ପରିକ ଏୟାରବ୍ୟାଗ୍‌ ଓ ରାମ୍ପ୍‌ ପଦ୍ଧତିକୁ ବାଦ୍‌ ଦେଇ ସ୍କାଏ କ୍ରେନ୍‌ ସହାୟତାରେ ମଙ୍ଗଳ ପୃଷ୍ଠରେ ରୋଭର ଓହ୍ଲାଇବ ଭାରତ। ନାସାର ‘ପର୍ସେର୍ଭେରାନ୍ସ’ରୋଭର ଅବତରଣ ଶୈଳକୁ ଅନୁସରଣ କରି ମଙ୍ଗଳରେ ରୋଭର ଓହ୍ଲାଇବାକୁ ଯୋଜନା କରିଛି ଇସ୍ରୋ। ତେବେ ଏଥିରେ ରହିଛି ଅନେକ ଚ୍ୟାଲେଞ୍ଜ । ମଙ୍ଗଳ ପୃଷ୍ଠରେ ସୁରକ୍ଷିତ ଓ ସଠିକ୍ ସ୍ପର୍ଶକୁ ସୁନିଶ୍ଚିତ କରିବା ଇସ୍ରୋ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ । ଏଥିପାଇଁ ଏକ ସୁପରସୋନିକ୍ ପାରାଚ୍ୟୁଟ୍‌ ବିକଶିତ କରାଯାଉଛି। ଯାହା ମଙ୍ଗଳ ବାୟୁମଣ୍ଡଳକୁ ଭେଦ କରି ସୁରକ୍ଷିତ ଭାବେ ରୋଭରକୁ ତଳକୁ ନେଇଯିବ।

ଯୋଗାଯୋଗର ମାଧ୍ୟମ ହେବ ରିଲେ ସାଟେଲାଇଟ୍

ରୋଭର ଓ ହେଲିକପ୍ଟର ସହିତ ନିରନ୍ତର ଯୋଗାଯୋଗ ବଜାୟ ରଖିବା ପାଇଁ ମୁଖ୍ୟ ମିଶନ ପୂର୍ବରୁ ମଙ୍ଗଳକୁ ଏକ ରିଲେ ଯୋଗାଯୋଗ ଉପଗ୍ରହ ପଠାଇବାକୁ ଯୋଜନା କରିଛି ଇସ୍ରୋ। ଏହି ଉପଗ୍ରହ ମଙ୍ଗଳ ଓ ପୃଥିବୀ ମଧ୍ୟରେ ସଂପର୍କର ସେତୁ ଭାବେ କାର୍ଯ୍ୟ କରିବ। ନିରନ୍ତର ତଥ୍ୟ ପ୍ରଦାନ କରିବା ସହିତ ପୂରା ମିଶନକୁ ନିୟନ୍ତ୍ରଣ କରିବ ଏହି ଉପଗ୍ରହ। ନିରବଚ୍ଛିନ୍ନ ଯୋଗାଯୋଗକୁ ସୁଗମ କରିବା ସହିତ ମଙ୍ଗଳଯାନ-୨ର ସଫଳତା ଏହା ଉପରେ ନିର୍ଭର କରୁଛି । ପୂରା ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହି ରିଲେ ସାଟେଲାଇଟ୍ ।

ପ୍ରସ୍ତୁତ ହେଉଛି ଶକ୍ତିଶାଳୀ ରକେଟ୍

ମଙ୍ଗଳଯାନ-୨ ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋର ସବୁଠାରୁ ଶକ୍ତିଶାଳୀ ରକେଟ୍, ଲଞ୍ଚ୍ ଭେଇକିଲ୍ ମାର୍କ -3 (LVM3)। ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ପ୍ରଦର୍ଶିତ କରିବ ଭାରତର ଏହି ବାହୁବଳି ରକେଟ୍ । ଯାହା ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ବହୁ ଦୂରକୁ ନେଇଯିବ। କାରଣ ଚନ୍ଦ୍ରଯାନ-୩, ମଙ୍ଗଳଯାନ-୧ ଓ ସୌର ଅଭିଯାନ ଆଦିତ୍ୟ-L1ର ସଫଳତା ପରେ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ ପ୍ରତିଷ୍ଠା କରି ସାରିଛି। ଆଗାମୀ ମିଶନ ପାଇଁ ମହାକାଶକୁ ଭାରୀ ଯନ୍ତ୍ରାଂଶ ପଠାଇବାକୁ ପଡ଼ିବ । ଏଥିପାଇଁ ଭରତକୁ ଶକ୍ତିଶାଳୀ ରକେଟ୍‌ର ଆବଶ୍ୟକତା ରହିଛି।