ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର, ୨୦ରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ସୋମବାର ୪୯ ଲୋକସଭା ଆସନରେ ଭୋଟିଂ । ଓଡ଼ିଶାର ୫ ଲୋକସଭା ଏବଂ ସେସବୁ ଅଧୀନ ବିଧାନସଭା ଆସନ ପାଇଁ ହେବ ମତଦାନ ।

ସରିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ଆସନ୍ତା ୨୦ ତାରିଖ, ସୋମବାର ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୯ ଲୋକସଭା ଆସନରେ ହେବ ନିର୍ବାଚନ । ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ମହାରାଷ୍ଟ୍ରର ୧୩, ପଶ୍ଚିମବଙ୍ଗର ୭, ବିହାରର ୫, ଓଡ଼ିଶାର ୫, ଝାଡ଼ଖଣ୍ଡର ୩ ଏବଂ ଜାମ୍ମୁ-କାଶ୍ମୀର ଓ ଲଦାଖର ଗୋଟେ ଲେଖାଏଁ ଆସନରେ ହେବ ଭୋଟିଂ । ପଞ୍ଚମ ପର୍ଯ୍ୟାୟରେ ହେବାକୁ ଯାଉଥିବା ୪୯ ଲୋକସଭା ଆସନ ପାଇଁ ଦୌଡ଼ରେ ଅଛନ୍ତି ୬୯୫ ଜଣ ପ୍ରାର୍ଥୀ ।

ପଞ୍ଚମ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ରାଏବରେଲୀରୁ କଂଗ୍ରେସର ରାହୁଲ ଗାନ୍ଧି, ଆମେଥିରୁ ବିଜେପିର ସ୍ମୃତି ଇରାନୀ, ଲକ୍ଷ୍ନୌରୁ ବିଜେପି ପ୍ରାର୍ଥୀ ରାଜନାଥ ସିଂହ, କୈସରଗଞ୍ଜରୁ ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅ କରଣ ଭୂଷଣ ସିଂହ, ଶରନରୁ ଆରଜେଡି ନେତା ତଥା ଲାଲୁପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ, ହାଜିପୁରରୁ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶୱାନ, ମୁମ୍ବାଇ ନର୍ଥରୁ ବିଜେପିର ପୀୟୂଷ ଗୋୟଲ ଏବଂ ବାରାମୁଲାରୁ ନାସନାଲ୍ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦ୍ଦୁଲ୍ଲା । ୨୦ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ୨୫ରେ ଷଷ୍ଠ ଏବଂ ଜୁନ୍ ପହିଲାରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବ । ୪ ତାରିଖରେ ହେବ ଭୋଟଗଣତି ।