ସନ୍ଧ୍ୟା ୭ଟାରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭୁବନେଶ୍ଵରରେ ବିଜେପି ନେତାଙ୍କ ସହ କରିବେ ସମୀକ୍ଷା । ୨୦ ତାରିଖ ସକାଳେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ।
Narendra Modi: ଆଜି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ସନ୍ଧ୍ୟାରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବେ ମୋଦି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ପରେ ରାଜଭବନ ଯାଇ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । କାଲି ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କରିବେ ଦର୍ଶନ । ତାଳବଣିଆ ହେଲିପ୍ୟାଡରେ ମୋଦିଙ୍କ ବିମାନ ଅବତରଣ କରିବ । କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୋଦି । ପରେ ବଡ଼ଦାଣ୍ଡରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ’ରେ ଯାଇ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ ମୋଦି ।
ଏଥିପାଇଁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଷ୍ଟିଲ ବ୍ୟାରିକେଡ଼ିଂ କରାଯାଉଛି । ପୁରୀ ପରେ କଟକରେ ନିର୍ବାଚନୀ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ । ଏହାପରେ ଅନୁଗୁଳ ଜନସଭାରେ ଯୋଗ ଦେବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ବରରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ୱ ରେ 4 ଜଣ ଡିସିପି, 6 ଜଣ ଅତିରିକ୍ତ ଡିସିପି, 18 ଜଣ ଏସିପିଙ୍କ ସମେତ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।
ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପାଖାପାଖି ୧ ଘଣ୍ଟା ଯାଏଁ ନିର୍ବାଚନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ ମୋଦି। ୨୦ ତାରିଖ ସକାଳେ ପୁରୀ ଯାଇ ଜଗନ୍ନାଥ ମନ୍ଦିର ଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ତାପରେ ପୁରୀ ବଡ଼ଦାଣ୍ଡରେ ରୋଡ ସୋ କରିବେ ମୋଦି। ସେଥିପାଇଁ ଏବେ ପୁରୀରେ ପ୍ରସ୍ତୁତି ଜୋରଦାର ଚାଲିଛି ।
ସେହିପରି ୨୧ରେ ପୁଣିଥରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୪ଟି ସ୍ଥାନରେ ସଭା କରିବେ ଅମିତ ଶାହ । ସକାଳେ ସମ୍ବଲପୁରରେ ସଭା କରିବେ ଏହାପରେ କେନ୍ଦୁଝର ଓ ପରଜଙ୍ଗରେ ସଭାରେ ଯୋଗ ଦେବେ ଅମିତ ଶାହ । ଶେଷରେ ନୟାଗଡ଼ରେ ସଭାରେ ଯୋଗ ଦେବେ ଅମିତ ଶାହ । ଉଭୟଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ବିଜେପି ସରକାର କରିବ ଏବଂ ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବା ନେଇ ପିଏମ୍ ମୋଦିଙ୍କ ବୟାନ ପରେ ରାଜ୍ୟ ବିଜେପି ଉତ୍ସାହିତ ହୋଇପଡିଛି । ତେବେ ଏହାରି ମଧ୍ୟରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ।